ନୂଆଦିଲ୍ଲୀ ୨୪।୧୨; ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳା ପ୍ରାଣ ହରାଇବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ପାଲଟିଛି। ପୁଷ୍ପା-୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ପୀଡ଼ିତ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି। ସେପଟେ ଏହି ଘଟଣା ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି ବୋଲି କହିଛନ୍ତି ମୃତକଙ୍କ ସ୍ୱାମୀ। ଏପରିକି ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଆମେ କାହାକୁ ଦୋଷ ଦେଉନାହୁଁ। ଆମ ଭାଗ୍ୟ ଖରାପ ଥିବାରୁ ଏଭଳି ଘଟଣା ଆମ ସହ ଘଟିଲା। ଅଲ୍ଲୁ ଅର୍ଜୁନଙ୍କ ଗିରଫ ପାଇଁ ଆମକୁ ଦାୟୀ କରାଯାଉଛି। କିନ୍ତୁ ତାଙ୍କ ବିରୋଧରେ ଲଢ଼ିବା ପାଇଁ ଆମର ଶକ୍ତି ନାହିଁ। ଦୁର୍ଘଟଣା ଠାରୁ ଆମକୁ ଅଭିନେତା ସହଯୋଗ କରୁଛନ୍ତି। ତେବେ ତାଙ୍କ ପୁଅ ଶ୍ରୀ ତେଜ ଅଲ୍ଲୁ ଅର୍ଜୁନଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ହୋଇଥିବାରୁ ପୁଅର ଇଛାରେ ସେ ପରିବାରକୁ ନେଇ ସେଠାକୁ ଯାଇଥିଲେ । ଘଟଣାକୁ ୨୦ ଦିନ ପୂରିଥିବାବେଳେ ତାଙ୍କର ୮ ବର୍ଷର ପୁଅ ଏବେ କୋମାରେ ଅଛି। ବେଳେବେଳେ ଆଖି ଖୋଲୁଥିଲେ ମଧ୍ୟ ସେ କିଛି ଜାଣିପାରୁ ନାହିଁ।ପୁଅ ଠିକ ହେବାକୁ ଆଉ କେତେଦିନ ଲାଗିବ କିଛି ଜଣାନାହିଁ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି ମୃତକଙ୍କ ସ୍ଵାମୀ ଭାସ୍କର।
କହିବାକୁ ଗଲେ ପୁଷ୍ପା-୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ହାଇଦ୍ରାବାଦ ହସ୍ପିଟାଲରେ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତାମୂଳକ ଚେକ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନିଜେ ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେଇଥିଲେ। ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁକୁମାର ଓ ତାଙ୍କ ପତ୍ନୀ ଭାସ୍କରଙ୍କୁ ଭେଟି ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ।